
ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ। ଦୈନନ୍ଦିନ ଜୀବନରେ ଆମେ ଯେତେ ବ୍ୟସ୍ତ ରହିଲେ ମଧ୍ୟ କିଡନୀ କିପରି ସୁସ୍ଥ ରହିବ ସେ ନେଇ ସତର୍କ ରହିବା ନିହାତି ଦରକାର। ଏଥିରେ ସମସ୍ୟା ଦେଖାଦେଇଛି କି ନାହିଁ ତାହା ଜାଣିବା ପାଇଁ କେତୋଟି ପ୍ରମୁଖ ଲକ୍ଷଣ ବିଷୟରେ ଅବଗତ ହେବା ଦରକାର।
କିଡନୀ ଖରାପ ହେଲେ ହାତଗୋଡ଼ ଫୁଲିଯାଏ, ଶରୀରର ଯୋଡ଼ା ଅଂଶଗୁଡ଼ିକରେ ଦରଜ ଅନୁଭୂତ ହୁଏ, ରକ୍ତଚାପ ଅସନ୍ତୁଳିତ ରହେ ଏବଂ ଦୁର୍ବଳ ଲାଗେ। ବାନ୍ତି ଉଠାଏ ଆଉ ବେଳେବେଳେ ହୁଏ ମଧ୍ୟ। ନିଃଶ୍ୱାସପ୍ରଶ୍ୱାସ ନେବାରେ ବାଧା ମଧ୍ୟ ଉପୁଜେ। ତେଣୁ କିଡନୀକୁ ସୁସ୍ଥ ରଖିବା ପାଇଁ କେତୋଟି ବିଷୟ ପ୍ରତି ଦୃଷ୍ଟି ଦିଅନ୍ତୁ। ପ୍ରଥମେ, ପ୍ରଚୁର ପରିମାଣର ପାଣି ପିଅନ୍ତୁ। ଦିନକୁ ଅତିକମରେ ୮-୧୦ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ବାହାରିଯାଏ। ଦ୍୬ିତୀୟତଃ, ଶରୀରରେ ୟୁରିଆ ତତ୍ତ୍ୱ ସନ୍ତୁଳିତ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ତୃତୀୟତଃ, ପ୍ରୋଟିନ୍ଯୁକ୍ତ ଖାଦ୍ୟ ଯେପରିକି ଡାଲି, ମାଛ, ଅଣ୍ଡା ଆଦି ନିୟମିତ ଖାଆନ୍ତୁ। ଚତୁର୍ଥତଃ, ନିଶାଦ୍ରବ୍ୟ ସେବନ ଅଭ୍ୟାସ ତୁରନ୍ତ ବର୍ଜନ କରନ୍ତୁ।
କିଡନୀଜନିତ ସମସ୍ୟା ଦେଖାଦେଲେ କିମ୍ବା ଏହାର କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅଭିଜ୍ଞ କିଡନୀ ଡାକ୍ତର (ନେଫ୍ରୋଲୋଜିଷ୍ଟ) ସହ ପରାମର୍ଶ କରନ୍ତୁ। ରୋଗ ଯଦି ଗୁରୁତର ଆକାର ଧାରଣ କରିଛି, ସେହି ଅନୁସାରେ ଚିକିତ୍ସା ନେବା ଜରୁରୀ। ଅନେକ ସମୟରେ କିଡନୀ ୫୦% ନଷ୍ଟ ହେବା ପର୍ଯ୍ୟନ୍ତ ଲକ୍ଷଣ ଦେଖାଯାଏ ନାହିଁ, ତେଣୁ ବାର୍ଷିକ ରକ୍ତ ପରୀକ୍ଷା କରାଇ ଏହାକୁ ସୁରକ୍ଷିତ ରଖନ୍ତୁ।