
ସରସ୍ଵତୀ ପୂଜା କ’ଣ?:-
ସରସ୍ଵତୀ ପୂଜା ହିନ୍ଦୁମାନଙ୍କର ଏକ ମୁଖ୍ୟ ପର୍ବ. ଏହି ପର୍ବକୁ ପ୍ରତିବର୍ଷ ମାଘମାସର ପଞ୍ଚମୀ ତିଥିରେ ପାଳନ କରାଯାଏ. ଏହି ପୂଜାରେ ମା ବାଗବାଦିନୀ ସରସ୍ଵତୀ ଦେବୀ ଙ୍କର ପୂଜା ଆରାଧନା କରାଯାଏ. ମା ସରସ୍ୱତୀଙ୍କୁ ବିଦ୍ୟା,ସଂଗୀତ,ନୃତ୍ୟ,ବାକ୍ୟର ଦେବୀ ବୋଲି କୁହାଯାଏ. ଏହି ପୂଜାକୁ ଖାସ କରି ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ପାଳନ କରାଯାଏ.ମା ସରସ୍ଵତୀଙ୍କୁ ସମସ୍ତ ବିଦ୍ୟାର ଦେବୀ ବୋଲି ବିବେଚନା କରାଯାଏ. ମାନ୍ୟତା ଅନୁସାରେ ମା ସରସ୍ୱତୀଙ୍କୁ ପୂଜା କରିବା ଦ୍ୱାରା ଆମକୁ ବିଦ୍ୟା ଏବଂ ଜ୍ଞାନ ପ୍ରାପ୍ତି ହୋଇଥାଏ.
ମା ସରସ୍ଵତୀଙ୍କର ପୂଜା କାହିଁକି କରାଯାଏ?:-
ପୌରାଣିକ ମାନ୍ୟତା ଅନୁଯାଇ ସୃଷ୍ଟିର ସର୍ଜନା କରିବା ପରେ, ଦିନେ ବ୍ରହ୍ମଦେବ ସ୍ୱୟଂ ସର୍ଜନା କରିଥିବା ସୌନ୍ଦର୍ଯ୍ୟରେ ପରିପୂର୍ଣ ହୋଇଥିବା ସୃଷ୍ଟିକୁ ଦେଖିବାକୁ ଇଚ୍ଛାପ୍ରକାଶ କଲେ. ବ୍ରହ୍ମଦେବ ସ୍ୱୟଂ ଧରାପୃଷ୍ଠରେ ଅବତରଣ କରି ସୁନ୍ଦରତାରେ ପରିପୂର୍ଣ ହୋଇଥିବା ପୃଥିବୀରେ ଆନନ୍ଦରେ ଭ୍ରମଣ କରିବାକୁ ଲାଗିଲେ. କିନ୍ତୁ କିଛି ସମୟ ଅତିକ୍ରମ କରିବା ପଶ୍ଚାତ ବ୍ରହ୍ମଦେବଙ୍କୁ ଅନୁଭବ ହେବାକୁ ଲାଗିଲା ଯେ ,ଏତେବଡ ସୁନ୍ଦର ସୃଷ୍ଟିରେ ସବୁକିଛି ଯେମିତି ଶବ୍ଦହୀନ. ତାଙ୍କୁ ଅନୁଭବ ହେଲା ଯେମିତି ସବୁକିଛି ନିର୍ଜୀବ ମନେହେଉଛି କୌଣସି ଶବ୍ଦର ଆଭାସ ନାହିଁ .
ସୃଷ୍ଟିକର୍ତ୍ତା ବ୍ରହ୍ମଦେବ ଚିନ୍ତାଗ୍ରସ୍ଥ ହୋଇ ନିଜ କମଣ୍ଡଳୁରେ ଥିବା ଜଳକୁ ଚତୁର୍ଦିଗରେ ଛିଞ୍ଚିବାକୁ ଲାଗିଲେ,ଏହି ସମୟରେ ସେହି ସ୍ଥାନରେ ଶ୍ୱେତବସ୍ତ୍ର ପରିଧାତ୍ରୀ ଶ୍ୱେତ ହଂସ ଉପରେ ବିରାଜିତା ଜଣେ ଦେବୀଙ୍କର ଆବିର୍ଭାବ ହେଲା.ବ୍ରହ୍ମଦେବଙ୍କ ଚିନ୍ତା ବିଷୟରେ ଜାଣିବା ପରେ ଦେବୀ ସମସ୍ତ ସୃଷ୍ଟିକୁ ଶବ୍ଦ ପ୍ରଦାନ କରି ସମଗ୍ର ସୃଷ୍ଟିରେ ଚଳଚଞ୍ଚଳତା ଏବଂ ବାକ୍ୟ ଭରିଦେଇଥିଲେ, ଏହାଫଳରେ ସମଗ୍ର ସୃଷ୍ଟି ଶବ୍ଦ ଏବଂ ଚଳଚଞ୍ଚଳତାରେ ପୂର୍ଣ୍ଣ ହୋଇଯାଇଥିଲା.ଏହା ଦେଖି ବ୍ରହ୍ମଦେବ ସନ୍ତୁଷ୍ଟ ହୋଇଥିଲେ ସମଗ୍ର ସୃଷ୍ଟି ସରସତା ଆଣିଦେଇଥିବାରୁ ଦେବୀ ମା ଙ୍କର ନାମ ‘ଦେବୀ ସରସ୍ଵତୀ’ ହୋଇଥିଲା. ଏହା ଛଡା ମା ସରସ୍ଵତୀ ବାକ୍ୟର ଦେବୀ ହୋଇଥିବାରୁ ମାଙ୍କୁ ‘ବାଗବାଦିନୀ’ ବୋଲି ସମ୍ବୋଧନ ମଧ୍ୟ କରାଯାଏ. ମା ସରସ୍ଵତୀଙ୍କର ଧରାବତରଣ ମାଘ ମାସର ପଞ୍ଚମୀ ତିଥିରେ ହୋଇଥିବାରୁ ପ୍ରତିବର୍ଷ ଏହି ଦିନ ମା ସରସ୍ଵତୀଙ୍କର ପୂଜା ଆରାଧନା କରାଯାଏ . ଏହି ତିଥି ବସନ୍ତ ଋତୁରେ ପଡିଥାଏ, ତେଣୁ ଏହାକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ. ଏତଦ ବ୍ୟତୀତ ଏହି ତିଥିକୁ ଶ୍ରୀ ପଞ୍ଚମୀ ମଧ୍ୟ କୁହାଯାଇଥାଏ.
ମା ସରସ୍ବତୀଙ୍କ ପୂଜା ବିଧି:-
ସାଧାରଣତଃ ମା ସରସ୍ଵତୀଙ୍କର ପୂଜା ସମସ୍ତ ଶିକ୍ଷାନୁଷ୍ଠାନରେ କରାଯାଇଥାଏ.ଏହା ଛଡା ଲୋକମାନେ ଘରେ ମଧ୍ୟ ଏହି ପୂଜା କରିଥାନ୍ତି. ଏହି ପୂଜାରେ ପୂଜାସ୍ଥାନକୁ ଭଲଭାବେ ପରିସ୍କାର କରି ବିଭିନ୍ନ ପ୍ରକାର ପୁଷ୍ପରେ ଖାସ କରି ମାଙ୍କର ଶ୍ୱେତ ରଙ୍ଗ ପ୍ରିୟ ହୋଇଥିବାରୁ ଶ୍ୱେତ ରଙ୍ଗର ପୁଷ୍ପରେ ପୂଜା ସ୍ଥାନ ଏବଂ ମା ସରସ୍ଵତୀଙ୍କର ମୃଣ୍ମୟ ମୂର୍ତ୍ତି ସହିତ ମାଟି ଘଟକୁ ଭଲଭାବେ ସଜାଇ ବିଭିନ୍ନ ପ୍ରକାର ଫଳ, ଧୂପ,ଦୀପ,ନୈବେଦ୍ୟ,ପଞ୍ଚାମୃତ ଅର୍ପଣ କରି ବ୍ରାହ୍ମଣ ଙ୍କ ବେଦ ମନ୍ତ୍ର ଧ୍ୱନି ମାଧ୍ୟମରେ ମା ସରସ୍ୱତୀଙ୍କୁ ଆରାଧନା କରାଯାଇଥାଏ. ସମସ୍ତ ବିଦ୍ୟାର୍ଥୀ ଉପବାସ ରଖି ମା ସରସ୍ବତୀଙ୍କ ପାଖରେ ନିଜର ମନସ୍କାମନା ଜଣାଇ ନିଷ୍ଠାର ସହ ପୂଜା କରିଥାନ୍ତି. ପୂଜା ଶେଷରେ ସମସ୍ତ ବିଦ୍ୟାର୍ଥୀ ମା ସରସ୍ଵତୀଙ୍କର ପାଦପଦ୍ମରେ ପୁଷ୍ପାଞ୍ଜଳି ଅର୍ପଣ କରି ମାଙ୍କ ପାଖରୁ ବିଦ୍ୟା ଏବଂ ଜ୍ଞାନର ଆଶୀର୍ବାଦ କାମନା କରିଥାନ୍ତି. ଏହା ପରେ ସମସ୍ତେ ଆନନ୍ଦିତ ମନରେ ମାଙ୍କର ପ୍ରସାଦ ଗ୍ରହଣ କରି ପୂଜା ସମ୍ପୂର୍ଣ କରିଥାନ୍ତି.
ଏହି ବର୍ଷ ଫ୍ରେବୃଆରି ୨ ତାରିଖରେ ମା ସରସ୍ଵତୀଙ୍କର ପୂଜା ଅନୁଷ୍ଠିତ ହେବାକୁ ଯାଉଛି.ସମସ୍ତେ ମିଶି ମା ସରସ୍ବତୀଙ୍କ ଆରାଧନା କରିବା ସହ ମା’ଙ୍କ ପାଖରୁ ଆଶୀର୍ବାଦ କାମନା କରନ୍ତୁ .’ଜୟ ମା ବାଗବାଦିନୀ ଦେବୀ ସରସ୍ଵତୀ’.